
ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ l ବ୍ୟଞ୍ଜନ ଦ୍ବାଦଶୀରେ ଶ୍ରୀମନ୍ଦିର ରାଧାକୃଷ୍ଣ ମନ୍ଦିରରେ ଲାଗି ହୋଇଛି ୬୭୫ ପ୍ରକାରର । ମାର୍ଗଶୀର ଶୁକ୍ଲପକ୍ଷ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳନ କରାଯାଏ ବ୍ୟଞ୍ଜନ ଦ୍ବାଦଶୀ । ଏହି ଅବସରରେ ଶ୍ରୀମନ୍ଦିର ଭିତରେ ଥିବା ରାଧାକୃଷ୍ଣ ମନ୍ଦିରରେ ବିଭନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରିବାର ପରଂପରା ରହିଛି । ଗୌଡୀୟ ଓ ବୈଷ୍ଣବ ସଂପ୍ରଦାୟ ମଠମାନଙ୍କରେ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ l ଏହାସହ ରାଧା କୃଷ୍ଣଙ୍କ ପାଖରେ ଭୋଗ ଲଗାଯାଏ । ପୁରୀର ଗୌରବିହାରରେ ମଧ୍ୟ ପ୍ରସ୍ତୁତ ହୋଇଥିଲା ପ୍ରାୟ ୬୭୫ ପ୍ରକାରର ବିଭିନ୍ନ ବ୍ୟଞ୍ଜନ । ଏଥିପାଇଁ ୪୦ ଜଣ ଭକ୍ତ ଆଠଘଣ୍ଟାରୁ ଅଧିକ ସମୟ ଧରି ପରିଶ୍ରମ କରିଥିଲେ l ଏତିରେ ରହିଛି ୧୪ ପ୍ରକାର ଅନ୍ନ, ୭ ପ୍ରକାର ଡାଲି ଓ ତରକାରୀ, ୫୦ ପ୍ରକାରର ପାମ୍ପଡ, ଖଟା , ଖିରି, ପିଠା, ମିଠା, ୪୦ ପ୍ରକାର ଚଟଣୀ ଓ ୬୦ ପ୍ରକାରର ଭଜା l ଠାକୁରଙ୍କ ନିକଟରେ ଭୋଗ ଲାଗି ପରେ ଶ୍ରଦ୍ଧାଳୁ ଓ ସାଧୁସନ୍ଥ ଏହି ବ୍ୟଞ୍ଜନକୁ ପ୍ରସାଦ ଭାବେ ସେବନ କରିଥିଲେ।
ମାତାମଠ (ଗୌର ବିହାର ଆଶ୍ରମ), ପୁରୀ
ଦ୍ୱାପର ଯୁଗର କଥା ଯଶୋଦା ଓ କୃଷ୍ଣଙ୍କ କାହାଣୀ କୃଷ୍ଣ ଲୀଳା, ପୁରୀର ବିଭିନ୍ନ ମଠବାଡ଼ିରେ ଅଭିନୀତ ହୁଏ । ବିଶେଷକରି ମାତାମଠରେ । କୃଷ୍ଣ ଓ ଯଶୋଦାଙ୍କର ସେହି କଥା ମନେ ପକାଇବାକୁ ପୁରୀର ମାତା ମଠ ବା ଗୌର ବିହାର ଆଶ୍ରମରେ ଭିନ୍ନ ଭିନ୍ନ ବର୍ଷରେ କେବେ ୫୦୫,କେବେ ୬୦୬ ଆଉ କେବେ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ କରିଥାନ୍ତି । ପ୍ରତି ବର୍ଷ ଏ ଭୋଗ ସଂଖ୍ୟା ବଦଳିଥାଏ । କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯାଏ । ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ୫୦ରୁ ଅଧିକ ପ୍ରକାରର ଡାଲି, ୧୦୦ରୁ ଅଧିକ ପ୍ରକାର ତରକାରୀ, ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି । ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଖଲିପତ୍ର ବ୍ୟବହାର କରାଯାଇଥାଏ ।