ସମସ୍ତଙ୍କୁ ନୂଆଖାଇ ଜୁହାର….
ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ
ହେମା ନୂଆଖାଇ ଭେଟ୍
ସଂସାର ଡୋର୍ ଥି ବନ୍ଧା ହୋଇଥିମା
ଏ ଥିଲା ଲୋକପ୍ରିୟ କବି ହଳଧର ନାଗଙ୍କ କବିତାରୁ କିଛି
ଗାଁ ଯାକର ହେଇ ମେଟ୍
ନୂଆଖାଇ ବା ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ଏକାଠି ହେବାର ବେଳ, ପର୍ବ ପାଳିବାର ସମୟ । ସବୁ ଭୁଲି ଏକାଠି ହୋଇ ଖୁସି ହେବାର ଅପୂର୍ବ ପର୍ବ । ଚାଷୀଙ୍କ ସହ ଯୋଡ଼ିହୋଇଥିବା ଗଣପର୍ବ । କେବଳ ପଶ୍ଚିମ ଓଡ଼ିଶାରେ ନୂହେଁ, ଏବେ ଏହା ସାରା ଓଡ଼ିଶାର ଏକ ଲୋକପ୍ରିୟ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରାଯାଏ । ତିଥି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ପଡ଼େ । ବା ଗଣେଶ ପୂଜା ପରଦିନ ପାଳନ କରାଯାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ନିକଟରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ । ନୂଆଖାଇ ପାଇଁ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ ପରେ ପୂଜା ସହ ଆରିସା ପିଠା ଭୋଗ କରିବାର ପରଂପରା ରହିଛି । ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସରିବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଗ୍ରହଣ କରନ୍ତି । ପୂର୍ବରୁ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରୁଥିଲେ । ଏହା ପରେ ରାଜାଙ୍କ ଇଷ୍ଟଦେବୀଙ୍କ ନାଁ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲ । ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିନ ହେଉ ନ ଥିଲା । ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ପାଇଁ ଘୋଷଣା କରିଥିଲେ । ଏପିରିକି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପ ପରେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ଗୋଟିଏ ଦିନରେ ନୂଆଖାଇ ପାଳନ କରାଯାଉଛି । ନୂଆଖାଇ ପାଇଁ ବାହାର କରାଯାଏ ଅମୃତବେଳା । ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଖିଆଯାଏ । ନୂଆଧାନରୁ ତିଆରି ଚୂଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ଆଦି ଘରେ ତିଆରି ହୁଏ । ତା ପରେ ନିଜ ଇଷ୍ଟଦେବୀଙ୍କ ପାଖରେ ପ୍ରଥମେ ଅର୍ପଣ କଲା ପରେ ସମସ୍ତେ ଏକାଠି ହୋଇ ନବାନ୍ନ ଖାଇଥାନ୍ତି । ଖାଇସାରିବା ପରେ ଆରମ୍ଭ ହୁଏ ଭେଟଘାଟର ପର୍ବ । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କଠୁ ଆଶୀର୍ବାଦ କାମନା କରିଥାନ୍ତି । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥାଏ । ତେବେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ।