Site icon Explore Times

ODISHA READY TI FIGHT WITH CORONA

ଓଡ଼ିଶାରେ କରୋନା ପାଇଁ ପ୍ରସ୍ତୁତି 

ସାରା ବିଶ୍ବରେ କରୋନା ଭାଇରସ ଆତଙ୍କ | ଓଡ଼ିଶାରେ ବି ପ୍ରସ୍ତୁତି | ରାଜ୍ୟର ବିଭିନ୍ନ ହସ୍ପିଟାଲରେ କରାଯାଇଛି ଆଇସୋଲେସନ୍‌ ୱାର୍ଡ | ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ କେବଳ ମାଲେସିଆକୁ ସିଧାସଳଖ ବିମାନ ଯାଉଛି | ସେଥିପାଇଁ ମାଲେସିଆ ପଟୁ କରୋନା ଭୂତାଣୁ ଆସିବା ଆଶଙ୍କା ରହିଛି | ସେଥଇପାଇଁ ସମସ୍ତ ଜିଲ୍ଲାର ସିଡିଏମ୍‌ଓଙ୍କୁ ନେଇ କରୋନା ଭୂତାଣୁ ସଂପର୍କିତ ଆଲୋଚନା ସରିଛି | ସେପଟେ ସାଧାରଣ ଜନତା ଅଯଥାରେ ଆତଙ୍କିତ ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ମାଲେସିଆରେ ୩ଟି କରୋନା ଭୂତାଣୁ ପଜିଟିଭ୍ କେସ୍ ନଜରକୁ ଆସିଛି। କେନ୍ଦ୍ର ସରକାର ପୂର୍ବରୁ ଯେଉଁ ବିମାନ ବନ୍ଦରରେ ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲେ ସେଥିରେ ଭୁବନେଶ୍ବର ଏୟାରପୋର୍ଟ ନାଁ ନ ଥିଲା | ତେବେ ପରବର୍ତ୍ତୀ ସମୟରେ ଏହାକୁ ସାମିଲ କରାଯାଇଛି | ମାଲେସିଆକୁ ସିଧାସଳଖ ବିମାନ ଯାଉଥିବାରୁ ବିମାନବନ୍ଦରରେ ଆରମ୍ଭ ହୋଇଛି ସ୍କ୍ରିନିଂ ବ୍ୟବସ୍ଥା । ଚୀନ୍‌ରୁ ଓଡ଼ିଶାକୁ ଗତ ଏକ ମାସରେ ଆସିଥିବା ଯାତ୍ରୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଓ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ ସେଲ୍‌ଫ ଡିକ୍ଲାରେସନ୍‌ ଦେବା ପାଇଁ ତାରକା ହୋଟେଲ ସଂଘକୁ ନିର୍ଦେଶ ଦିଆଯାଇଛି। ଖାସକରି ଭୁବନେଶ୍ବର, ଝାରସୁଗୁଡ଼ା ଓ ପାରାଦୀପକୁ ଅଧିକ ଗୁରୁତ୍ବ ଦିଆଯାଉଛି । ସେହିପରି ଝାରସୁଗୁଡ଼ାରେ ପାୱାର ପ୍ଲାଣ୍ଟ୍‌ରେ କାମ କରୁଛନ୍ତି ଚୀନ୍‌ର ଅନେକ ନାଗରିକ । ତେଣୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ଏ ନେଇ ପଦକ୍ଷେପ ନେବାକୁ କୁହାଯାଇଛି | ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

କଟକ ବଡ଼ ମେଡିକାଲ, ବୁର୍ଲାର ଭୀମସାର ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଆଇସୋଲେସନ୍ ୱାର୍ଡ ଖୋଲାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ପାରାଦୀପ ବନ୍ଦର କର୍ତୃପକ୍ଷଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। କରୋନା ଭୂତାଣୁ ଆକ୍ରାନ୍ତ ହେଲେ ପ୍ରଥମେ ସର୍ଦ୍ଦି, କାଶ, ଥଣ୍ଡା ସହ ଦେହ ଓ ହାତ ଘୋଳାବିନ୍ଧାରୁ ଆରମ୍ଭ ହୁଏ | ଧୀରେ ଧୀରେ ଏହା ନିମୋନିଆ ଭଳି ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରେ । ଏହି ଭୂତାଣୁ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ଓ ପ୍ରତିଷେଧକ ବାହାରି ନାହିଁ।

Exit mobile version