
ଦେବୀଦର୍ଶନ
ମୁଁ ଗେଟ ଖୋଲୁ ଖୋଲୁ ବୃନୋ ମତେ କାକୁସ୍ଥ ହୋଇ ଚାହିଁଲା …ତା ପରେ ମୋ ଉପରକୁ କୁଦା ମାରି ମୋ ମୁହଁକୁ ଚାଟିବାରେ ଲାଗିଲା ….ମୁଁ ତଥାପି ଛୋଟେଇ ଛୋଟେଇ ଆଗକୁ ବଢିଲି …ବୃନୋ ମୋ ପାଦକୁ ତା ନଖରେ ରାମ୍ପୁଥାଏ …ପୁଣି ମୁହଁକୁ ଚାହୁଁଥାଏ… କିନ୍ତୁ ମୁଁ ସେମିତି ଚାଲିଥାଏ ….ସିଡିରେ ପାଦ ଦେଉ ଦେଉ …ଗେଟ ଖୋଲି ଦୌଡ଼ି ଆସି କକେଇ ପଚାରିଲେ -“କୁଆଡେ ଯାଇଥିଲୁ? ରାତି ଏଗାରଟା ହେଲାଣି?…ତୁ ଜାଣିଚୁ ତ ଭାଇମାନେ କେହି ନାହାନ୍ତି । ମୁଁ ଏକୁଟିଆ ଖୋଜି ଖୋଜି ନୟାନ୍ତ ହେଲିଣି ।”-ମୁଁ ତାଙ୍କ ମୁହଁକୁ ଆବକାବା ହେଇ ଚାହିଁଲି । “ମହାରାଣୀ ଆସିଲେ କି ” -କହି ତମ ତମ ହୋଇ ସିଡ଼ି ରେ ଜୋର ଜୋର ପାଦ ପକାଇ ଓଲ୍ହାଇ ଆସିଲା ବେଳେ ବୋଉ ରାଗିକି ପାଟି କରି ଆସୁ ଆସୁ ଚୁପ ହେଇଗଲା …ମୋ ମୁହଁ ଆଉ ହାତରେ ହାତ ବୁଲେଇ ଆଣି ପଚାରିଲା -“ତୋ ଦେହ ଆଉ ଡ୍ରେସ ରେ ଏତେ ରକ୍ତ କୁଆଡୁ ଆସିଲା?”…କାନ୍ଧରେ ହାତ ପକାଇ ଛଳ ଛଳ ହେଇ ପଚାରିଲା …ତୋ ଡ୍ରେସ ଏଠୁ ଚିରିଲା କେମିତି ? ” କକେଇ ବ୍ୟତିବ୍ୟସ୍ତ ହେଇ ମୋ ମୁହଁକୁ ତାଙ୍କ ହାତରେ ଉଠାଇ ପଚାରିଲେ …”ଏ ମା କଣ ହେଇଛି …କହ ଜଲଦି …ଭାରି ବ୍ୟସ୍ତ ଲାଗୁଛି ….?” ମୁଁ ଦୀର୍ଘନିଃଶ୍ଵାସ ଟେ ପକାଇଲି… ଆଖିରୁ ଦୁଇଧାର ଲୁହ ବୋହି ଗଲା… ମୁଁ କହିଲି …”ଦେବୀଦର୍ଶନ… ..ମତେ ଦେବୀ ଦର୍ଶନ ଦେଲେ।”
“ତୁ ପାଗଳୀ ହେଇ ଗଲୁକି ?କଣ ଏମିତି କହୁଛୁ?”…ବ୍ୟତିବ୍ୟସ୍ତ ଦେଖାଯାଉଥିଲେ କକେଇ …କହିଲେ ତୁ ଘର ଭିତରକୁ ଚାଲିଲୁ …ମୋ ବାଆଁ ହାତକୁ ଧରି କକେଇ ଡ୍ରଇଂ ରୁମ ସୋଫା ଉପରେ ବସାଇ …ଖୁଡିଙ୍କୁ ଇଶାରା ଦେଲେ ପାଣି ଗ୍ଲାସ ଟେ ପାଣି ଆଣିବାପାଇଁ ..ମୁଁ କକେଇଙ୍କୁ କହିଲି …ମତେ ବହୁତ ଅଣନିଃଶ୍ଵାସୀ ଲାଗୁଛି …ବାଲକୋନୀରେ ବସିବା କି ? …ଆଛା କହି ମୋ ହାତ ଧରି କକେଇ ଆଗେଇଲେ …ପଛେ ପଛେ ଦେଠେଇ ବୋ,ଖୁଡି ଓ ବୃନୋ …ସୋଫାରେ ବସୁ ବସୁ ମୁଁ କାନ୍ଧରେ ହାତ ଦେଇ …ବିକଳରେ ଆଃ କରୁ କରୁ …ବୃନୋ ମୋ ପାଦ ଚାଟି ମୋ ମୁହଁକୁ ଚାହିଁ ରହିଲା …ଏବେ ଚାରିହଳ ଆଖି ମୋ ଆଡେ ପ୍ରଶ୍ନବାଚୀ ଚାହାଣୀରେ ଚାହିଁଥିଲେ …ମୁଁ କିନ୍ତୁ ନିଶବ୍ଦରେ ଆଖି ମୁଯିବାକୁ ଚେଷ୍ଟା କରୁ କରୁ କକେଇ ଅପେକ୍ଷାକୃତ ଧୀର କଣ୍ଠରେ ପଚାରିଲେ… ଦେଖୁଚୁ ନୂଆ ଘର କରି ଆମେ ଏଠାକୁ ଆସିଚେ …ଏତେ ଜନଗହଳିପୂର୍ଣ୍ଣ ଜାଗା ବି ନୁହେଁ …ଆଖପାଖରେ ବେଶି ଘର ବି ନାହିଁ …ତୁ କାଇଁକି ଏତେ ରାତିରେ ବାହାରକୁ ଯାଇଥିଲୁ? …ଆଜି ଅଷ୍ଟମୀ …ମାଙ୍କ ସନ୍ଧିପୂଜା କୁ ସମସ୍ତେ ଯିବା ବୋଲି ଖୋଜିଲାବେଳକୁ ତୁ ନାହୁଁ …ଅଧଘଣ୍ଟାଏ ହେବ ଖୋଜିଲୁଣି ତତେ …କଣ ହେଇଛି ତୋର ?…ମୋ ହାତ ମୁଠାଇ ପଚାରିଲେ …”ଏ ଯୁଗ ଯେମିତି …ତୋର ଏ ରୂପ ଦେଖି ବ୍ୟସ୍ତ ଲାଗୁଛି? ” …କିନ୍ତୁ ମୁଁ ଯୋଉ ରୂପ ଦେଖିଚି କକେଇ କହୁ କହୁ ମୁଁ ହେଙ୍କା ଉଠାଇ କାନ୍ଦି ପକାଇଲି …ମୋ ଲୁହ ଦେଖି ଖୁଡି ଓ ବୋଉ ବାହୁନି ଉଠିଲେ। ବାବା ଗଲା ପରେ ମୋ ଭାର ନେଇଥିବା କକେଇ ନିଜର ଅସହାୟ କାନ୍ଧକୁ ମୋ ଆଗରେ ଝୁଂକାଇ ଦେଇ ଆଣ୍ଠେଇ ପଡ଼ି ପଚାରିଲେ ….କୋଉ ରୂପ ଦେଖିଲୁ ? କାଇଁ କାନ୍ଦୁଛୁ …କଣ ହେଇଛି?” …କହୁ କହୁ କକେଇ ମୋ ମୁହଁକୁ ଉତ୍ତର ଆଶାରେ ଚାହିଁ ରହିଲେ ।
ମୁଁ ତାଙ୍କ ମୁହଁକୁ ଚାହିଁ କହିବା ଆରମ୍ଭ କଲି ପ୍ରାୟେ 10ଟା ବେଳେ …ମୁଁ ବୃନୋକୁ ବାହାରକୁ ନେଇ ଯାଇଥିଲି …ଆମ ଘର ପଛପଟୁ ବଡ଼ପାଟି ଶୁଣାଗଲା … ଏଣ୍ଟି ପାଟି କରୁଥାଏ …ସୁତପ୍ପା ଉପରେ …ସବୁଦିନ ପରି ମଦ ହାତରେ ନିଜକୁ ଧରେଇଦେଇ …ଆଜି କିନ୍ତୁ ନିଜ ତେର ବର୍ଷର ଝିଅକୁ ବି କାଇଁ ବାଡଉଛି…ଯିବି ଯିବିନି ଏମିତି ଦ୍ଵନ୍ଦରେ ମୋର ମନେପଡ଼ିଗଲା ଆଜି ସୁତପ୍ପା ଦିନବେଳେ ଆମ ଘରକୁ ବାସନ ମାଜିବାକୁ ଆସିବାବେଳେ ତା ତେର ବର୍ଷ ଝିଅ ରୋଜା ବି ଆସିଥିଲା ..ଘୁମାଉ ଘୁମାଉ ପଡିଗଲା ବେଳେ ତାକୁ ମୁଁ କାନ୍ଧ ଉପରକୁ ଆଉଜେଇ ଆଣିଲା ବେଳକୁ କହିଲା …ଦିଦି ମୋ ଆପା ମତେ ବାଡେଇ ପକେଇ ଦେଲାବେଳେ ବି ତୁ ଆସିବୁ ନା ? …ମୁଁ ତା ମନର କଅଁଳ ଭୟକୁ ମାପି ଦେଇ ତାକୁ କହିଥିଲି ମୁଁ ନିଶ୍ଚେ ଯିବି । ବାସ ସେ ପ୍ରତିଶ୍ରୁତି ବାରମ୍ବାର ମନକୁ ଧକ୍କା ଦେଲା ସେଠିକୁ ଯିବା ପାଇଁ … ମୁଁ ବୃନୋ କୁ ଗେଟ ଭିତରେ ଛାଡି ଡାକପକାଇଲି …କକେଇ ବୋଉ.. ଖୁଡି…ତୁମ କାହାର ବି ପାଟି ଶୁଣାଯାଉନଥିଲା …କିନ୍ତୁ ପାଟି ବଢ଼ୁଥିଲା ଏଣ୍ଟିର …ଆଉ କାନ୍ଦ ବଢ଼ୁଥିଲା ସୁତପ୍ପା ଆଉ ରୋଜାର । ମୁଁ ଆଉ ଅପେକ୍ଷା ନକରି ଦୌଡ଼ିଲି ପଛ ପାଖକୁ ।
ମୁଁ ପାଟି କରି ପଚାରିଲି …”ଏଣ୍ଟି କାଇଁ ବାଡ଼ଉଛୁ ସ୍ତ୍ରୀ ପିଲାଙ୍କୁ …?” ସେ ମତେ କହିଲା …”ଆବେ ମୋ ସ୍ତ୍ରୀ ମୋ ଛୁଆ ମୁଁ ବାଡେଇବି ତୁ କିଏ କହିବାକୁ ” …କହୁ କହୁ ଟଳୁଥିଲା ସେ …ସୁତପ୍ପା ଦୌଡ଼ି ଆସି ମୋ ଗୋଡ଼ ଧରି କହିଲା -“ଏ ଆମ୍ମା ମୋ ରୋଜା କୁ ନେଇ ଯାଆଲୋ? ” ନହେଲେ ଏ ସୈତାନ ବିକି ଦେବ ମୋ ଝିଅକୁ …ଫୋନେ ରେ କଥା ହେଉଥିଲା ସେ …ଏବେ କୋଉ ଗାଡ଼ିରେ ଲୋକ ଟେ ଆସି ଲେ କୋଡିଏ ହଜାର ଟଙ୍କା ଦେଇ ମୋ ଝିଅକୁ ନେଇଯିବ …ମୋ ଗୋଡ଼ ତଳେ ଲୋଟୁଥିଲା ଗୋଟେ ମା ର ଅସହାୟତା …ଆଉ ସାମ୍ନାରେ ଉଦଣ୍ଡ ହେଉଥିଲା ଗୋଟେ ବାପର ଉଗ୍ରତା …ମୁଁ ରୋଜା ହାତ ଧରି କହିଲି ଚାଲ ଆମ ଘରକୁ ..ଏଣ୍ଟି ରୋଜାର ହାତ ଧରି କହିଲା ଏ ଛାଡ଼ ମୋ ଝିଅକୁ …ମୁଁ ତା ହାତରୁ ଜୋର ଲଗାଇ ରୋଜାକୁ ଆଗପଟକୁ ବୁଲାଇ ଆଣିଲି …କିନ୍ତୁ ଏଣ୍ଟି ମୋର ବାଆଁ ହାତକୁ ଏତେ ଜୋରେ ଟାଣିଲା ଯେ ମୋ ଡ୍ରେସ ଚିରିଗଲା …କକେଇ କହିଲେ ତେବେ ତୋ ଡ୍ରେସ ଏଥିପାଇଁ ଚିରିଥିଲା …ଟିକେ ଏତେ ଆଶ୍ୱସ୍ତ ଦେଖାଗଲେ …କିନ୍ତୁ ଏତେ ରକ୍ତ କୁଆଡୁ ଆସିଲା …ତୁ ଯୋଉ କ୍ଷଣକୋପି …କଣ କଲୁ ସେ ଏଣ୍ଟିର?
ମୁଁ ନିଜ ମୁହଁରେ ଡାହାଣ ହାତ ବୁଲେଇ କହିଲି ତା ପରେ ରୋଜାର ମୋର ଦୌଡ଼ିବାକୁ ଆରମ୍ଭ କରୁ କରୁ ରାସ୍ତାରେ ଗାଡିଟେ ଆସି ଅଟକିଲା । ଏଣ୍ଟି ବିଦ୍ରୁପ ହସ ଟେ ହସୁ ହସୁ କହିଲା …”କୁଆଡେ ଯାଉଛୁ ଯା …ଏବେ ରୋଜା ତାଙ୍କର …ଆଉ କୋଡିଏ ହଜାର ମୋର …ଚାହୁଁ ଚାହୁଁ ଦିଟା ବିରାଟକାୟ ଲୋକ ଚାଲିଆସିଲେ ଆଖିପିଛୁଳାକେ …ଏଣ୍ଟି ହାତକୁ ଟଙ୍କା ବଢ଼େଇଦେଇ ରୋଜା ଆଡକୁ ହାତ ବଢ଼ାଇଲା ବେଳେ ମୁଁ ଜୋରେ ରୋଜାକୁ କୁଣ୍ଢାଇ ଧରିଲି …ସେ ଦୁଇଟା ଲୋକଙ୍କ ଭିତରୁ ଜଣେ ଏତେ ବଳପୂର୍ବକ ଭାବେ ମତେ ଠେଲି ଦେଲା ଯେ ମୁଁ ସାମ୍ନା ରେ ଛିଟକି ପଡିଲି …ଡାହାଣ ପାଦଟି ପଥର ଟିଏ ରେ ମାଡ ହୋଇଗଲା ..ଏତେ କଷ୍ଟ .. ଅନେକ ଚେଷ୍ଟା ପରେ ବି ମୁଁ ଉଠି ପାରୁନଥାଏ …ସେ ଲୋକମାନେ ରୋଜାକୁ ଟାଣି ଟାଣି ନେଉଥାନ୍ତି ….ରୋଜା ପଛକୁ ହାତ ବଢ଼ାଇ କାନ୍ଦୁଥାଏ …ହଟାତ ସୁତପ୍ପା ତା ନୁଆଁଣିଆ ପଲିଥିନ ଘେରା ଘର ଭିତରକୁ ପଶିଗଲା …ଆଖି ପିଛୁଳାକେ ବାହାରିଲା ହାତରେ ଏକ ଦାଆ ଧରି …ମୁଁ କଷ୍ଟ ମଷ୍ଟେ ଠିଆ ହେଲି …ସୁତପ୍ପା ଦୌଡ଼ିଲା …ରୋଜା କୁ ଟାଣି ଆଣିବାକୁ ଚେଷ୍ଟା କଲା …ମୁଁ ଛୋଟେଇ ଛୋଟେଇ ସେତେବେଳେ ସୁତପ୍ପା ର ପାଖରେ ଠିଆ ହେଲିଣି …ସୁତପ୍ପା ଭିତରର ଅସହାୟ ମାତୃତ୍ବ ଗର୍ଜି ଉଠିଲା ଏଥର …ଛାଡ଼ ମୋ ଝିଅକୁ …ଗର୍ଜନ୍ନ ରେ କମ୍ପି ଉଠିଲା ଚାରିପାଖର ପରିବେଶ …କକେଇ ମୋ କଥା ଅଟକାଇ କହିଲେ ହଁ ତତେ ମୁଁ ଖୋଜିବାକୁ ବାହାରିଲା ବେଳେ ପଛରୁ ପାଟି ଶୁଣାଯାଉଥିଲା ..କିନ୍ତୁ ମୁଁ ସେ ଆଡକୁ ଧ୍ୟାନ ଦେଇନି …ମୁଁ କକେଇଙ୍କୁ କହିଲି ଆମ ସହରୀ ଆପ୍ପାର୍ଟମେଂଟ ସଭ୍ୟତାରେ ନିଜ ବ୍ୟତୀତ ଅନ୍ୟର ଅସହାୟତା କୁ ଅଣଦେଖା କରିବା ଓ ଦୀର୍ଘନିଃଶ୍ଵାସକୁ ଅଣଶୁଣା କରିବା ଆଧୁନିକ ଚଳଣି । କକେଇ କହିଲେ ତୁ କହ …କଣ ହେଲା ?
ସୁତପ୍ପା ଟାଣି ଆଣିଲା ରୋଜାକୁ ନିଜ ପଛପଟକୁ …ପୁଣି ଥରେ ସେ ଲୋକ ହାତ ବଢ଼ାଇଲା ରୋଜା ଆଡକୁ …ଏଥର ଦାଆରେ ସୁତପ୍ପା ଚୋଟେ ପକାଇଲା ସେ ଲୋକର ହାତକୁ…ରକ୍ତ ଛିଟକି ପଡିଲା ମୋ ମୁହଁ ଓ ଡ୍ରେସ ଉପରକୁ …ଅପ୍ସରୀ ଗଲେ ସେ ଲୋକ ଦୁଇଟି …ସୁତପ୍ପା ପଛପଟେ ରୋଜା ମୁହଁ ସୁରକ୍ଷିତ ଦିଶୁଥିଲା …ପାଖ ପ୍ଲଟରେ ମାଳେ କାଶତଣ୍ଡି ଜହ୍ନମୁହାଁ ହୋଇ ଦୋହଲୁ ଥିଲେ …ସୁତପ୍ପା ମୁହଁରେ ଝଟକୁଥିଲା ଅଭୟ ଚମକ …ମୁଁ ଆଣ୍ଠେଇ ପଡ଼ି ମୁଣ୍ଡିଆ ମାରିଲି ତାକୁ … ମା ଆସିଗଲେ …ଦେବୀ ଦର୍ଶନ ଦେଲେ ।।
ଏତିକି କହିସାରି ମୁଁ ପୁଣି ଥରେ ହାତଯୋଡି ପକାଇଲି ..ଆଖିରୁ ପୁଣି ଦୁଇ ଧାର ଲୁହ ବୋହିଗଲା …ବୃନୋ ତାର ଆଗ ଗୋଡ ଦୁଇଟି ଟେକି ଉପରକୁ ମୁହଁ କରି ଭୁକିଲା …କକେଇ ମୋ ମୁଣ୍ଡ ଆଉଁସି ଦେଲେ …ଖୁଡି ବୋଉ ଛଳ ଛଳ ଦେଖାଯାଉଥିଲେ …ଠିକ ଏତିକି ବେଳେ ଦୂରରୁ ମାଇକରେ ଶୁଣା ଗଲା ସନ୍ଧିପୂଜାର ବେଦମନ୍ତ୍ର …”ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ,ନମତସୈ ନମତସୈ ନମତସୈ ନମୋ ନମଃ ।”
ଲେଖିକା ଦେବଜାନୀ ମିଶ୍ର