ଏଥର ହୋଇ ନ ପାରେ କଟକର ଐତିହାସିକ ଦୁର୍ଗାପୂଜା । ନା ମଣ୍ଡପ ସଜେଇ ହେବ, ନା ଗଳିରେ ଲାଗିବ ଗହଳି । ତେବେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନି । ତେବେ ଆପଣ ଏ ସଂପର୍କରେ କଣ ଭାବୁଛନ୍ତି ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ । କଟକ ଜିଲ୍ଲାପାଳ ସିଧାସଳଖ ନ କହିଲେ ମଧ୍ୟ ଏ ନେଇ ଇସାରା ଦେଇଛନ୍ତି । ଏଥର କୌଣସି ମଣ୍ଡପକୁ କୋରୋନା କାରଣରୁ ମିଳି ନ ପାରେ ଅନୁମତି । ତେବେ ଏଠାରେ ଆଉ ଏକ ଦାବି ହେଉଛି, ବିନା ଶ୍ରଦ୍ଧାଳୁ, ବିନା ଭିଡରେ ମାଆଙ୍କ ପୂଜା । ଏଥିପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛି ବାଲୁବଜାର ପୂଜା କମିଟି । ଦୁର୍ଗାପୂଜାକୁ ଆଉ ଦୁଇ ମାସରୁ କମ୍ ସମୟ । କୋଭିଡ-୧୯ କଟକଣା ଭିତରେ ଦୁର୍ଗାପୂଜା ପାଳନର ଅନୁମତି ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ବାଲୁବଜାର ପୂଜା କମିଟି ପକ୍ଷରୁ ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ସଂପାଦକ ରାଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ଦାୟର କରିଛନ୍ତି ଏହି ଆବେଦନ । ଏଥିରେ ଦର୍ଶାଯାଇଛି ଯେ ଏହି ପୀଠରେ ୧୫୦୯ରୁ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି । ୫୦୦ବର୍ଷରୁ ଅଧିକ ପୁରୁଣା ପରଂପରା । ଅତୀତରେ ବିଭିନ୍ନ ସମସ୍ୟା ଭିତରେ ଭାଙ୍ଗିନି ପରଂପରା । ତେବେ ପୂଜାର ପ୍ରଥମ ପରମ୍ପରା ମାଟି ଅନୁକୂଳ ପାଇଁ କଟକ ଡିସିପି ଅନୁମତି ଦେବା ପରେ, ଚାରି ଜଣ ଲୋକଙ୍କୁ ନେଇ ଓ ବିନା ଶୋଭାଯାତ୍ରାରେ ମାଟି ଅନୁକୂଳ କାର୍ଯ୍ୟ ସରିଛି । ତେବେ ରାଧାଷ୍ଟମୀ ଠାରୁ ମାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ତେଣୁ ଦେଖିବାକୁ ବାକି ରହିଲା, କଟକଣା ଭିତରେ କଟକରେ ପୂଜା ହେଉଛି ନା, ପୂଜା ବନ୍ଦ ପାଇଁ ଆସୁଛି ନିର୍ଦ୍ଦେଶ । କିଛିଦିନ ମଧ୍ୟରେ ଏ ନେଇ ସ୍ପଷ୍ଟ ସୂଚନା ଆସିବ । ତେବେ କିଛି ଶ୍ରଦ୍ଧାଳୁଙ୍କ ମତରେ ବିନା ସାଜସଜ୍ଜା ଓ ଭକ୍ତରେ ପୂଜା କରାଯାଉ । ଶ୍ରଦ୍ଧାଳୁ ପଛେ, ମାଆଙ୍କ ଦର୍ଶନ ନ କରନ୍ତୁ, କିନ୍ତୁ ପରଂପରା ଓ ମାଆଙ୍କ ପୂଜା ନ ଅଟକୁ ।
