Explore Times

ମୋଦି ଜୀଙ୍କୁ ଚିଠି…ମୁଁ ଏ ଦେଶର ଝିଅ କହୁଛି …

-:ମୁଁ ଏ ଦେଶର ଝିଅ କହୁଛି ।ଝିଅ କହିବା ଆଗରୁ ଡର ବି ଲାଗୁଛି ।ଯେଉଁଠି ଝିଅ ,ସେଇଠି ରାତି ,ସେଇଠି ବଳତ୍କାର ,ସେଇଠି ହତ୍ୟା ।

-:ମୋର ଶିକ୍ଷିତ ହେବାର ଆବଶ୍ୟକ ନାହିଁ ,କୌଣସି ପୁରୁଷ ସହ ସମାସ୍କନ୍ଧ ହେବାର ନାହିଁ ,ମୋର କୌଣସି ଡିଗ୍ରୀ ବି ଦରକାର ନାହିଁ ,। ମୁଁ ଚାହେଁ ମୋତେ ମିଳିଥିବା ଆୟୁଷକୁ ମୁଁ ଯେମିତି ନିଷ୍କଟଙ୍କ ଭାବରେ ଭୋଗିପାରେ ।

-ନୂଆ ଶାସନରେ ଅନେକ କିଛି ବଦଳିଲା ।ଲୋକମାନେ ନୂଆ ସ୍ୱପ୍ନ ଦେଖିଲେ ,ସ୍ୱପ୍ନ ସାକାର ବି ହେଲା ।ଦେଶ ଆଗକୁ ଗଲା ।ହେଲେ ମୋଦି ଜୀ, ଦେଶର ଝିଅଙ୍କ ଦେହରେ ଏବେ ବି ନଖ ଓ ଦାନ୍ତର ଚିହ୍ନ ଯାଇନି । ଏ ଦେଶର ଝିଅ ମାନେ ଏ ଯାଏଁ ବି ଗୋଟିଏ ସୁସ୍ଥ ସ୍ୱପ୍ନ ଦେଖି ପାରିଲେନି ।

– ମୋଦୀ ଜୀ “ବେଟୀ ବଚାଓ ” ସ୍ଲୋଗାନ ଦେଇ ,କନ୍ୟା ଜନ୍ମ କରୁଥିବା ମହିଳାଙ୍କୁ ଅର୍ଥ ରାଶି ଯୋଗାଇ ,ଦେଶ କନ୍ୟାରତ୍ନ ବଢାଇ ଚାଲିଛି ।କନ୍ୟା ଫସଲ ଉପୁଜିଲା ପରେ ବାଡ ସେହି ଫସଲକୁ ଖାଉଛି ।

– ମୋଦି ଜୀ ଆପଣ ତ ଅନେକ ଦେଶରେ ବୁଲୁଛନ୍ତି ।ସେଠାକାର ସାମାଜିକ ,ଅର୍ଥନୈତିକ ,ରାଜ ନୈତିକ ବ୍ୟବସ୍ଥାକୁ ଅନୁକରଣ କରି ଅନେକ ଯୋଜନା ଓ କଟକଣା ଆମ ଦେଶରେ କାର୍ଯ୍ୟକାରୀ କରୁଛନ୍ତି ହେଲେ ଆପଣ ଅନ୍ୟ ଦେଶର ନାରୀ ସୁରକ୍ଷା ବିଷୟରେ କେବେ ଥରେ ଅଧେ ନଜର ପକାଇଲେଣି କି?

-:ପିଲାବେଳେ ଶୁଣିଥିଲୁ ଯେ ଯେଉଁ ଦେଶରେ ନାରୀ ଯେତେ ଶିକ୍ଷିତ ସେ ଦେଶ ସେତେ ଶୃଙ୍ଖଳିତ ।ହେଲେ ବର୍ତ୍ତମାନ ସମୟକୁ ଅନୁଧ୍ୟାନ କଲେ ଜଣା ପଡେ ଯେ ଆମ ଦେଶରେ ପୁରୁଷ ଅଧିକ ଶିକ୍ଷିତ ହେବା ଆବଶ୍ୟକ ।ଅନ୍ତତଃ ଏତିକି ଶିକ୍ଷିତ ହେବା ଜରୁରୀ ଯେମିତି ଜଣେ ପୁରୁଷ ଜାଣିବା ଦରକାର ଯେ “ପୁରୁଷ ପଣିଆ କେଉଁ କେଁଉଁ ଜାଗାରେ ଜାହିର କରିବା ଉଚିତ୍ “।

:- ମୁଣ୍ଡର ସୁରକ୍ଷା ପାଇଁ ହେଲମେଟ୍ ନ ପିନ୍ଧିଲେ ବିଚ୍ ବଜାରରେ ଲାଠି ମାଡ ହେଉଛି ।ହେଲେ ବିଚ୍ ବଜାରରେ ଅସୁସ୍ଥ ମସ୍ତିଷ୍କ,ଅଶ୍ଲୀଳ ଇଙ୍ଗିତ,ଅଶ୍ଲୀଳ ସମାଲୋଚନା ,ଅଶ୍ଲୀଳ ପୋଷାକ (ନାରୀ ଓ ପୁରୁଷ ଉଭୟଙ୍କ) ଲାଗି କେବେଠୁ ଲାଠି ମାଡ ଆରମ୍ଭ ହେବ?

:-“ବେଟି ବଚାଓ ” କାର୍ଯ୍ୟକ୍ରମ ସ୍ଥଗିତ ରଖି ଏବେ “ସଭ୍ୟତା ବଚାଓ” ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁରୋଧ ।

:-ପେଟ ଜଳିଲେ ସହିହୁଏ, ଘର ଜଳିଲେ ବି ସହି ହୁଏ, ହେଲେ ଝିଅଙ୍କ ଦେହରେ ନିଆଁ ଜଳିଲେ କଣ ସହି ହୁଏ?

:-ମୋଦି ଜୀ ,ପାକିସ୍ଥାନ୍ କୁ ସାବାଡ୍ କରିବାକୁ ବେଶୀ ସମୟ ଲାଗିଲାନି ହେଲେ ଏଇ ଉଦ୍ଧତ ଯୁବକ ମାନଙ୍କୁ ସାବାଡ୍ କରିବାକୁ ଆପଣଙ୍କୁ ଆଉ କେତେ ସମୟ ଲାଗିବ ?

-: ଗରିବଙ୍କ ପାଇଁ ପେସନ୍,ଧନୀଙ୍କ ପାଇଁ ସ୍ୱପ୍ନ ବୁଣିଦେଲେ। ହେଲେ ଘରେ ଘରେ ଝିଅଙ୍କ ମା ବାପାଙ୍କ ପାଇଁ କେବେ ଶାନ୍ତିର ନିଦଟେ ଯୋଗାଡି ଦେବେ ?

:-ମୋଦି ଜୀ ..ମୁଁ ଏ ଦେଶର ଝିଅ କହୁଛି ।ଆପଣ ମୋତେ ଆଉ ଏକଥା କୁହନ୍ତୁନି ଯେ
“ଝିଅଲୋ ଏଥିରେ ସରକାର କଣ କରିବ, ..ନିଜ ସୁରକ୍ଷା ନିଜେ ଖୋଜ ,ନାରୀ ସଶକ୍ତ ହୁଅ ,ଦେବୀ ପାଲଟି ଯାଅ,ଦଶଭୂଜା ବନିଯାଅ”।

ହେଲେ ମୁଁ ଏ ଦେଶର ଝିଅ କୁହୁଛି …..

  • ,”ମୋଦି ଜୀ …ବେଳେ ବେଳେ ସରକାରଙ୍କୁ ବି ଅନେକ କିଛି କରିବାକୁ ପଡେ “। 
  •   ଲେଖିକା- ଚିନ୍୍ମୟୀ ବାରିକ
Exit mobile version