କୋଲକାତାରୁ ଝାରସୁଗୁଡ଼ା ବିମାନସେବା ଆରମ୍ଭ
କୋଲକାତାରୁ ସିଧା ଝାରସୁଗୁଡ଼ା । ସେହିପରି ଝାରସୁଗୁଡ଼ାରୁ ବିମାନରେ ବସି ଏଥର ଆପଣ କୋଲକାତା ଯାଇପାରିବେ । ଉଭୟ ଝାରସୁଗୁଡ଼ା ଓ କୋଲକାତାବାସୀଙ୍କ ପାଇଁ ଖୁସି ଖବର । କାରଣ ଏଣିକି ଉଭୟ କୋଲକାତା ଓ ଝାରସୁଗୁଡ଼ାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଯାଇଛି। ଏୟାର ଇଣ୍ଡିଆର ଏଲାୟନ୍ସ ଏୟାର ଏହି ସେବା ଆରମ୍ଭ କରିଛି । ଉଡାନ୍-୩ ଯୋଜନା ଅଧୀନରେ ଏବେ କୋଲକାତାରୁ ଝାରସୁଗୁଡ଼ା ମଧ୍ୟରେ ବିମାନ ଚଳାଚଳ କରିବ । ସୋମବାର ପ୍ରଥମ ଦିନରେ ୧୬ ଜଣ ଯାତ୍ରୀଙ୍କୁ ନେଇ ଏଲାୟନ୍ସ ଏୟାର ବିମାନ କୋଲକାତାରୁ ଝାରସୁଗୁଡ଼ାକୁ ଆସିଥିଲା। ଏହାପରେ ଝାରସୁଗୁଡ଼ାରୁ କୋଲକାତାକୁ ବିମାନରେ ଯାଇଥିଲେ ୨୫ ଜଣ ଯାତ୍ରୀ । କୋଲକାତାରୁ ବାହାରିଥିବା ବିମାନ ଝାରସୁଗୁଡ଼ାରେ ଦିନ ୧.୧୫ ମିନିଟ୍ ପହଞ୍ଚିବାର ଥିଲା । ତେବେ ବିମାନଟି ଝାରସୁଗୁଡ଼ାରେ ୧୨.୫୦ ମିନିଟରେ ପହଞ୍ଚିଥିଲା ଏବଂ ୧.୨୫ ମିନିଟରେ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ାଣ ଭରିଥିଲା । ଜାନୁଆରି ୨୭ରୁ ୩୦ ପର୍ଯ୍ୟନ୍ତ ବିମାନ ଏହି ସମୟରେ ଏବଂ ପରେ ଅନ୍ୟ ସମୟସାରଣୀରେ ଉଡ଼ାଣ ଭରିବ ।