ସ୍ବଚ୍ଛ ସର୍ଭେକ୍ଷଣ ୨୦୨୦ରେ ସାରା ଦେଶରେ ୨୩୨ ନମ୍ବର ସ୍ଥାନରେ ରହିଛି କଟକ । ତେବେ ପୂର୍ବ ବର୍ଷ ସହ ତୁଳନା କରିଲେ ଭଲ ପ୍ରଦର୍ଶନ କରିଛି ସିଲଭର ସିଟି । ଆଉ ଏଥିପାଇଁ ସହରବାସୀ, କଟକ ମହାନଗର ନିଗମ ଓ ଖାସକରି ସିଏମସି କମିଶନର ଅନନ୍ୟା ଦାସଙ୍କ କଠିନ ପରିଶ୍ରମ ରହିଛି । ୨୦୧୮ରେ ୩୯୬, ୨୦୧୯ରେ ୩୭୪ ଓ ବର୍ତ୍ତମାନ ୨୩୨ ନମ୍ବର । ଏହି ତାଲିକାରେ କଟକ ପଛକୁ ରହିଛି ସ୍ମାର୍ଟସିଟି ଭୁବନେଶ୍ବର । କୋରୋନା କଟକଣା ଭିତରେ ମଧ୍ଯ କଟକରେ ଅନେକ କାମ ଆଗେଇଛି । ତାଳଦଣ୍ଡା କେନାଲ ହେଉ କି ସହରର ସୌନ୍ଦର୍ଯ୍ୟୀକରଣକୁ ମଧ୍ୟ ଅନେକ ପ୍ରଶଂସା ମିଳିଛି । ବର୍ତ୍ତମାନ ମଧ୍ୟ ସହରରେ ଅନେକ ପରିମଳ କାମ ବାକି ରହିଛି । ତେବେ ହଜାରେ ବର୍ଷର ସହରରେ ପରିବର୍ତ୍ତନ ପାଇଁ ସମୟର ଆବଶ୍ୟକତା ରହିଛି । ଏଥିପାଇଁ ପ୍ରଶାସନ ସହ କଟକିଆଙ୍କର ସହଯୋଗ ମଧ୍ୟ ଆବଶ୍ୟକ। ସେହିପରି ସିଏମସି ଓ ଜିଲ୍ଲା ପ୍ରଶାସନ ମଧ୍ୟ ନିଜର କଠିନ ପରିଶ୍ରମ ଜାରି ରଖିବା ଆବଶ୍ୟକ ରହିଛି।
ସେପଟେ ସର୍ବେକ୍ଷଣରେ ଓଡିଶାକୁ ‘ଦ୍ରୁତତମ ଗତିଶୀଳ ରାଜ୍ୟ’ ଭାବରେ ପୁରସ୍କାର ମିଳିଛି । ସ୍ବଚ୍ଛତା ହାସଲ କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ବେଗରେ ଆଗକୁ ବଢ଼ୁଥିବା ରାଜ୍ୟର ମାନ୍ୟତା ପାଇଛି । ସର୍ବେକ୍ଷଣରେ ଓଡିଶା ୧୦ମ ସ୍ଥାନ ଅଧିକାର କରିଛି । ୨୦୧୮ ଏବଂ ୨୦୧୯ ରେ ରାଜ୍ୟ ଦେଶରେ ୨୨ ଏବଂ ୧୬ତମ ସ୍ଥାନରେ ରହିଥିଲା । ତେବେ ୨୦୨୦ରେ ଓଡିଶା ୧୦ମ ସ୍ଥାନ ଅଧିକାର କରିଛି । ୩ରୁ ୧୦ ଲକ୍ଷ ଜନସଂଖ୍ୟା ଥିବା ସହର ବର୍ଗରେ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନକୁ ମିଳିଛି ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର |