
କ୍ରିସ୍ମସ୍ ଟ୍ରି ବା କ୍ରିସ୍ମସ୍ ଗଛ ବା ବଡ଼ଦିନ ଗଛ ଇଂରାଜୀରେ Christmas tree ।
ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ ଏହି ପ୍ରଥା ଜନ୍ମ ହୋଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ । ପରେ ଏହି ପ୍ରଥାର ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଲ୍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ କ୍ରିସ୍ମସ୍ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା ।ପାରମ୍ପରିକ ଭାବେ କ୍ରିସ୍ମସ୍ ଗଛକୁ କାଗଜର ଗୋଲାପ ଫୁଲ, ସେଓ ଫଳ, ୱେଫର୍, ଚକମକିଆ ଝରା ବା ଝାଲେରୀ ଓ ମିଷ୍ଟାନ୍ନ ଇତ୍ୟାଦିଦ୍ୱାରା ସଜାଇବାର ପ୍ରଥା ରହିଛି । ଅଷ୍ଟଦଶ ଶତାବ୍ଦୀରେ କ୍ରିସ୍ମସ୍ ଗଛକୁ ମହମବତୀ ଓ ଦୀପର ଆଲୋକମାଳାରେ ଏବଂ ଅଧୁନା ବିଦ୍ୟୁତ୍ ଆଲୋକମାଳାରେ ସୁସଜ୍ଜିତ କରାଯାଉଛି । ବର୍ତ୍ତମାନ ସମୟରେ ଏହି ଗଛଗୁଡ଼ିକୁ ନୂତନ ବଡ଼ଦିନ ମାଳା, ରଙ୍ଗବେରଙ୍ଗ ବଲ୍ ଓ ଚକୋଲେଟ୍ ଇତ୍ୟାଦିଦ୍ୱାରା ମଧ୍ୟ ସଜାଯାଉଛି । ଗଛର ସର୍ବୋଚ୍ଚ ଭାଗରେ ଏକ ପ୍ରଜ୍ଜ୍ୱଳମାନ ତାରକା ଖଚିତ ହୋଇଥାଏ, ଯାହା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ କାହାଣୀର ଜଣେ ଚରିତ୍ର ବେଥ୍ଲେହେମ୍ ତାରକାର ଦେବଦୂତ (ଏଞ୍ଜେଲ୍) ଗାବ୍ରିଏଲ୍ଙ୍କ ସୂଚକ । ରିବନ୍ ଫିତା ସାହାଯ୍ୟରେ କ୍ରିସ୍ମସ୍ ଗଛର ଡାଳରୁ ଜିଞ୍ଜର୍ ବ୍ରେଡ଼୍ (ଅଦା ପାଉଁରୁଟି), ଚକୋଲେଟ୍ ଓ ଅନ୍ୟାନ୍ୟ ମିଷ୍ଟାନ୍ନ ଇଦ୍ୟାଦି ଖାଦ୍ୟ ପଦାର୍ଥ ଝୁଲାଇ ଦିଆଯାଏ ।ପାଶ୍ଚାତ୍ୟ ଖ୍ରୀଷ୍ଟ ପରମ୍ପରାରେ ଦେଶ ଅନୁସାରେ କେଉଁ ଦିନ କ୍ରିସ୍ମସ୍ ଗଛ ଲଗାଯିବ ବା ହଟାଇ ଦିଆଯିବ, (ଆଗମନର ପ୍ରଥମ ଦିନ ବା ବଡ଼ଦିନର ପୂର୍ବ ସନ୍ଧ୍ୟାରେ) ସେଥିରେ ସାମାନ୍ୟ ଭିନ୍ନତା ଦେଖାଯାଏ । ସେହିପରି ଆଗମନର ଦ୍ୱାଦଶ ଦିନ ରାତ୍ରରେ ବା ପ୍ରଭୁପ୍ରକାଶ ଋତୁର ଶେଷ ଦିନ (କ୍ୟାଣ୍ଡେଲ୍ମାସ୍) ଦିନ କ୍ରିସ୍ମସ୍ ଗଛ ହଟାଇ ଦିଆଯାଇଥାଏ ।କ୍ରିସ୍ମସ୍ ଗଛକୁ କେହି କେହି “ୟୁଲ୍ ଗଛ” ବା “ୟୁଲ୍ ଟ୍ରି (Yule tree)” ସହ ତୁଳନା କରିଥାନ୍ତି ଯାହାର ଉଲ୍ଲେଖ ବିଭିନ୍ନ ଲୋକକଥାରେ ରହିଛି ।
ଅଷ୍ଟଦଶ ଶତାବ୍ଦୀର ଆରମ୍ଭ ବେଳକୁ ଉପର ରାଇନ୍ ଉପତ୍ୟକାର ସହରମାନଙ୍କରେ କ୍ରିସ୍ମସ୍ ଗଛ ଏକ ସାଧାରଣ ପ୍ରଥା ଥିଲା । କିନ୍ତୁ ଏହା ଗ୍ରାମାଞ୍ଚଳକୁ ସେତେ ବ୍ୟାପି ନଥିଲା । ସେତେବେଳେ ମହମବତୀ ଏକ ମହଙ୍ଗା ବସ୍ତୁ ଥିଲା ।
ତଳ ରାଇନ୍ ଉପତ୍ୟକାରେ ଅଧିକାଂଶ କ୍ୟାଥୋଲିକ୍ ଖ୍ରୀଷ୍ଟ ଧର୍ମାବଲମ୍ୱୀ ଥିଲେ । କ୍ରିସ୍ମସ୍ ଗଛକୁ ସେମାନେ ପ୍ରୋଟେଷ୍ଟାଣ୍ଟ୍ ପ୍ରଥା ରୂପେ ପରିଗଣିତ କରୁଥିଲେ । ଫଳରେ ବହୁ ବର୍ଷ ଯାଏଁ କ୍ରିସ୍ମସ୍ ଗଛର ପ୍ରଥା କେବଳ ଉପର ରାଇନ୍ ଉପତ୍ୟକାରେ ସୀମିତ ଥିଲା । ୧୮୧୫ ମସିହାରେ ପ୍ରୁସିଆନ୍ ଅଧିକାରୀମାନଙ୍କ ଯୋଗୁଁ ଏହି ପ୍ରଥାର ପ୍ରଚାର ଓ ପ୍ରସାର ଘଟିଥିଲା ।
୧୯ଶ ଶତାବ୍ଦୀରେ କ୍ରିସ୍ମସ୍ ଗଛକୁ ଜର୍ମାନ୍ ସଂସ୍କୃତିର ନିଦର୍ଶନ ବୋଲି ବିଶ୍ୱାସ କରାଯାଉଥିଲା ।
ଫ୍ରାଙ୍କୋ-ପ୍ରୁସିଆନ୍ ଯୁଦ୍ଧ ବୋଳେ ଜର୍ମାନ୍ ସେନା ସବୁ ଛାଉଣୀ ଓ ଚିକିତ୍ସାଳୟରେ କ୍ରିସ୍ମସ୍ ଗଛ ଲଗାଉଥିଲେ । ୨୦ଶ ଶତାବ୍ଦୀର ଆରମ୍ଭରେ ଗୀର୍ଜାଘରମାନଙ୍କରେ ଆଲୋକମାଳାରେ ଝଲସୁଥିବା କ୍ରିସ୍ମସ୍ ଗଛ ଲଗାଯିବା ଆରମ୍ଭ ହେଲା
(SOURCE:WIKIPEDIA)




